ସୁଡାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ଏକ ସୁନା ଖଣିରେ ଦୁର୍ଘଟଣା, ୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୬/୦୯: ସୁଡାନର ୱେଷ୍ଟ କର୍ଡୋଫାନ୍ ଅଞ୍ଚଳରେ ଏକ ବଡ଼ ସୁନା ଖଣିରେ ଦୁର୍ଘଟଣା ଘଟିଛି । ଅଲ୍-ନୁହୁଦ ସହରର ଉତ୍ତରରେ ଥିବା ଏକ ଖଣି ଧସିପଡ଼ିବାରୁ ଅତି କମ୍‌ରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର ସୁଦ୍ଧା ୬୦ଟି ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ଖଣି ଭିତରେ ଆହୁରି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅନେକ ଖଣିରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଉପକରଣ ଓ ଉଦ୍ଧାର ପ୍ରଣାଳୀର ଅଭାବ ଥିବାରୁ ଏଭଳି ଦୁର୍ଘଟଣାର ଆଶଙ୍କା ଅଧିକ ରହିଥାଏ । ସୁନାର ଏକ ଅଂଶ ଅବୈଧ ଭାବେ ବିକ୍ରି ଓ ଚୋରାଚାଲାଣ ହେଉଥିବା ନେଇ ମଧ୍ୟ ରିପୋର୍ଟ ରହିଛି । ୱେଷ୍ଟ କର୍ଡୋଫାନ୍‌ର ଅନେକ ସୁନା ଖଣି ଅର୍ଦ୍ଧସାମରିକ ବଳ ରାପିଡ୍ ସପୋର୍ଟ ଫୋର୍ସେସ୍‌ (RSF)ର ନିୟନ୍ତ୍ରଣରେ ଥିବା କୁହାଯାଏ । ଏହି ଅଞ୍ଚଳରେ ସୁନା ଖଣି ଆୟର ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଖଣି ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *