ନୂଆଦିଲ୍ଲୀ,୧୩/୦୯: ପଶ୍ଚିମବଙ୍ଗରେ ବର୍ଷ ବର୍ଷ ଧରି ଚାଲିଥିବା ଅନେକ ମଦ୍ରାସା ଏବେ ବନ୍ଦ ହୋଇଯିବ। ସେଗୁଡ଼ିକୁ ତାଲା ପକାଇବା ପାଇଁ ପ୍ରସ୍ତୁତି ଚାଲିଛି । ତଦନ୍ତ ପରେ ସରକାର ୨୫୨ ମଦ୍ରାସାକୁ ବନ୍ଦ ପାଇଁ ନୋଟିସ୍ ଜାରି କରିଛନ୍ତି । ସେହିପରି ଅନ୍ୟ ୧୦୦ ମଦ୍ରାସାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ବନ୍ଦ ହେବାକୁ ଥିବା ମଦ୍ରାସାଗୁଡ଼ିକ ମଧ୍ୟରୁ ଅଧିକାଂଶ ଖାରିଜି ବା ଉପଯୁକ୍ତ ମାନ୍ୟତା ନାହିଁ ବୋଲି ଜଣାପଡିଛି । ରାଜ୍ୟ ସରକାର ସମ୍ପ୍ରତି ରାଜ୍ୟର ମଦ୍ରାସାଗୁଡ଼ିକର ତଦନ୍ତ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସର୍ବେକ୍ଷଣର ପ୍ରଥମ ପର୍ଯ୍ୟାୟ ପରେ ମାନ୍ୟତା ନଥିବା ୨,୩୯୬ ମଦ୍ରାସା ଚିହ୍ନଟ କରାଯାଇଛି । ରାଜ୍ୟ ସରକାର କୋଲକାତା ସମେତ ୨୨ଟି ଜିଲ୍ଲାରେ ମଦ୍ରାସାଗୁଡ଼ିକର ଏକ ସର୍ଭେ କରିଥିଲେ। ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ଯେ ଜିଲ୍ଲାଗୁଡ଼ିକରେ ସ୍ୱୀକୃତିପ୍ରାପ୍ତ ଏବଂ ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସାଗୁଡ଼ିକର ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ ଏକ ସର୍ଭେ କରାଯିବା ଉଚିତ୍। ଏହା ପରେ, ପ୍ରତ୍ୟେକ ଜିଲ୍ଲାରେ ସର୍ଭେ ଆରମ୍ଭ କରାଯାଇଥିଲା।