OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ମୃତ୍ୟୁ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୦୮/୦୯: OMVD କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ ମୃତ୍ୟୁ ମାମଲା । ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ହାଇକୋର୍ଟ। ତେଣୁ ମାମଲାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ୍‌ କରିବ । ମୃତକଙ୍କ ଭଉଣୀ ନିବେଦିତା ଦେବୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ୫ ଜୁନ୍‌ରେ ବ୍ରହ୍ମପୁର ଟାଉନ୍ ଥାନା ଅଧୀନ ବିଜିପୁର ପୋଲିସ କଲୋନୀରୁ ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ଉଦ୍ଧାର କରାଯାଇ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାରେ ଟାଉନ୍ ଥାନାରେ କେସ୍ ନମ୍ବର ୨୪ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ଚିକିତ୍ସା ସମୟରେ ଆଶୁତୋଷଙ୍କ ଦୁଇଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା । ସେଥିରେ ସେ ତାଙ୍କ ପତ୍ନୀ ସନ୍ଧ୍ୟା ଓ ଶଳାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଥିବା ଦାବି କରିଛନ୍ତି ପରିବାର । ଏହାସତ୍ତ୍ୱେ ଗିରଫ ନ ହେବାରୁ ନିବେଦିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବା ଏବଂ କୌଣସି ପ୍ରତିକୂଳ ପ୍ରମାଣ ମିଳିନଥିବା କୋର୍ଟରେ କୁହାଯାଇଥିଲା । ତଦନ୍ତ ଶେଷ ପର୍ଯ୍ୟାୟରେ ଥିବା ମଧ୍ୟ ପୋଲିସ ଦର୍ଶାଇଥିଲା। ତେବେ ଏକ ମୃତ୍ୟୁକାଳୀନ ଜବାନବନ୍ଦୀ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରେକର୍ଡ ହୋଇଥିବା ସତ୍ତ୍ୱେ ତଦନ୍ତର ଫଳାଫଳ ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ଲକ୍ଷ୍ୟ କରିଛନ୍ତି । ତେଣୁ ମାମଲାକୁ ତୁରନ୍ତ CB-CIDକୁ ହସ୍ତାନ୍ତର କରିବା ସହ ସମସ୍ତ ରେକର୍ଡ ବିନା ବିଳମ୍ବରେ କ୍ରାଇମବ୍ରାଞ୍ଚକୁ ଦେବାକୁ ବ୍ରହ୍ମପୁର SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *