ଭୋଗରାଇ ବିଚିତ୍ରପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଜୀବ ଠାବ

ଭୁବନେଶ୍ୱର,୦୮/୦୯: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜୀବଗୁଡ଼ିକୁ ଉଦ୍ଧାର କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଉଦୟପୁର ବନପାଳ କାର୍ଯ୍ୟାଳୟରେ ନିଆଯାଇଥିବା ଜଣାପଡ଼ିଛି। କିନ୍ତୁ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲା କେଉଁଠୁ? ଏମାନେ ପ୍ରକୃତରେ ଓରାଙ୍ଗଉଟାଙ୍ଗ ନା ଅନ୍ୟ କୌଣସି ପ୍ରଜାତି? ଯଦି ଓରାଙ୍ଗଉଟାନ, ତେବେ ଏକାଥରେ ୫ଟି ଜୀବ ଏଠାରେ କିପରି ପହଞ୍ଚିଲେ?

ବିଚିତ୍ରପୁର ଜଙ୍ଗଲ ମଧ୍ୟରେ ଏମାନଙ୍କ ଗତିବିଧି ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏମାନେ ଓରାଙ୍ଗଉଟାନ ବୋଲି ଚର୍ଚ୍ଚା ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା। ଏଭଳି ଜୀବକୁ ଆଗରୁ କେବେ ଦେଖିନଥିବା ଲୋକେ ଦୂରରୁ ଠିଆ ହୋଇ ଏମାନଙ୍କୁ ଦେଖିବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦୟପୁର ବନପାଳ ସଞ୍ଜୟ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଥିଲେ। ଜୀବଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ପରେ ୫ଟି ଜୀବକୁ ଉଦ୍ଧାର କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ଉଦୟପୁର ବନପାଳ କାର୍ଯ୍ୟାଳୟରେ ରଖାଯାଇଛି।

Leave a Reply

Your email address will not be published. Required fields are marked *