ଦିଲ୍ଲୀ ଭୁଶୁଡ଼ିଗଲା ୬ ମହଲା କୋଠା: ଚାଲିଗଲା ୬ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ,୦୭/୦୯: ଦିଲ୍ଲୀ ସତ୍ୟ ନିକେତନ ନିକଟରେ ଭୁଶୁଡ଼ିଗଲା ୬ ମହଲା କୋଠା । କୋଠା ଭୁଶୁଡିବା ଘଟଣାରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ଏଯାଏଁ ୬ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ୫ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଗ୍ନିଶମ ବାହିନୀ ସହ ଏନ୍‌ଡିଆର୍‌ଏଫ୍ ମଧ୍ୟ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ୩୦ରୁ ୪୦ ଜଣ ଚାପି ହୋଇ ରହିଥାଇ ପାରନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଯାଇ ଆହତଙ୍କୁ ଭେଟିଥିବା ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁଯାୟୀ, ଆହୁରି ଅନେକ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଇଟା-କଂକ୍ରିଟ ତଳେ ଫସିରହିଛନ୍ତି। ଭଗ୍ନାବଶେଷ ଭିତରୁ କିଛି ଯୁବକ ମୋବାଇଲରେ ଭିଡିଓ କରି ଏବଂ କଲ୍ କରି ଜୀବନ ବଞ୍ଚାଇବାକୁ ସାହାଯ୍ୟ ଭିକ୍ଷା କରୁଛନ୍ତି । ସେପଟେ ସାମ୍ନାକୁ ଆସିଲା କୋଠା ଭୁଶୁଡ଼ିବାର କାରଣ । ପ୍ରାଥମିକ ଭାବେ କୁହାଯାଉଛି, ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠା ତଳ ମହଲାରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା । ସେତିକି ବେଳେ ହିଁ ଭୁଶୁଡ଼ିପଡ଼ିଥିଲା କୋଠା । କୋଠାରେ ହଷ୍ଟେଲ ଚାଲୁଥିବାରୁ ଛାତ୍ରମାନେ ଅଧିକ ସଂଖ୍ୟାରେ ଫସି ରହିଛନ୍ତି । ତେବେ ଘଟଣାର ତଦନ୍ତ ହେବ ଏବଂ ଦୋଷୀ ଯିଏ ହୋଇଥାଉ ନା କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *