ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ବଦଳିବ ଦଶମ ଶ୍ରେଣୀର ପାଠ୍ୟକ୍ରମ

ଭୁବନେଶ୍ୱର,୦୭/୦୯: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ଶ୍ରେଣୀର ପାଠ୍ୟକ୍ରମ । ଏଥିସହ ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ସିଏଚଏସ୍ଇକୁ ନିର୍ଦ୍ଦେଶ ଦିଆଯାଇଛି । ମୁକ୍ତ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରାଯିବ । ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମୁକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବା ନେଇ ଯୋଜନା ରହିଛି । ବର୍ତ୍ତମାନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଅଯଥା ଖର୍ଚ୍ଚାନ୍ତ ହେଉଥିବାରୁ ମାଗଣା ଡିଜିଟାଲ୍ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ସିଏଚଏସ୍ଇକୁ ୧୦ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ଯୁକ୍ତ ଦୁଇରେ ଓଡ଼ିଆ ଭାଷାରେ ବିଜ୍ଞାନ ଓ ବାଣିଜ୍ୟ ପଢ଼ିବାର ସୁଯୋଗ ପାଇବେ ଛାତ୍ରଛାତ୍ରୀ । ଏହାଦ୍ୱାରା ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଉଚ୍ଚମାଧ୍ୟମିକ ଶିକ୍ଷା ଗ୍ରହଣ କରିପାରିବେ । ଆଗାମୀ ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ କରିବା ନେଇ ମଧ୍ୟ ଯୋଜନା ରହିଛି । ଏହି ବୋର୍ଡର କାର୍ଯ୍ୟାଳୟ କେଉଁଠାରେ ହେବ, ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଯୁକ୍ତ ଦୁଇ ପଢ଼ିବା ସମୟରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଦକ୍ଷତାରେ ତାଲିମ ଦିଆଯିବ । ଶିକ୍ଷା ସହ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯିବ । ଯୁକ୍ତ ଦୁଇ ପରେ ଛାତ୍ରଛାତ୍ରୀ ଯେପରି ନିଜ ଦକ୍ଷତା ଅନୁଯାୟୀ କର୍ମନିଯୁକ୍ତି ପାଇପାରିବେ, ସେଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଦକ୍ଷତାଭିତ୍ତିକ ପାଠ୍ୟକ୍ରମକୁ ସାମିଲ କରାଯିବ ।

Leave a Reply

Your email address will not be published. Required fields are marked *