ନୂଆଦିଲ୍ଲୀ, ୨୭/୦୭: ଦେଶବ୍ୟାପୀ ନିଟ୍ ସହ ବିଭିନ୍ନ ସାର୍ବଜନୀନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ପରେ କେନ୍ଦ୍ର ସରକାର ଆଣିଛନ୍ତି ବଡ଼ ପଦକ୍ଷେପ । ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ବିଶ୍ୱସନୀୟ କରିବା ଲକ୍ଷ୍ୟରେ ‘ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ-୨୦୨୬’ ଆଜି ଲୋକସଭାରେ ଉପସ୍ଥାପିତ କରାଯାଇଛି । ତେବେ ବିଧେୟକ ଉପସ୍ଥାପନ ପରେ ସଦନରେ ବିରୋଧୀ ଦଳର ହଙ୍ଗାମା ଦେଖିବାକୁ ମିଳିଥିଲା। ଶେଷରେ ବାଧ୍ୟ ହୋଇ ବାଚସ୍ପତି ଲୋକସଭାର କାର୍ଯ୍ୟବାହୀକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ବିଧେୟକକୁ ନେଇ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ ବିରୋଧୀ ଦଳଗୁଡ଼ିକୁ କଡ଼ା ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଏହା କୌଣସି ସାଧାରଣ ବିଧେୟକ ନୁହେଁ, ବରଂ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସିଧାସଳଖ ଭାବେ ଜଡ଼ିତ । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସଦନରେ ଏହି ବିଧେୟକ ଉପରେ ବ୍ୟାପକ ଆଲୋଚନା ହେଉ, ସମସ୍ତ ଦଳ ନିଜ ନିଜ ମତ ରଖନ୍ତୁ ଏବଂ ସର୍ବସମ୍ମତିକ୍ରମେ ବିଧେୟକ ପାରିତ ହେଉ । ତେଣୁ ବିରୋଧୀ ଦଳ ହଙ୍ଗାମା ଛାଡ଼ି ଗଠନମୂଳକ ଆଲୋଚନାରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି ।