ଭୁବନେଶ୍ୱର,୨୮/୦୭: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ପର୍ଯ୍ୟାୟ ତଥା ପବିତ୍ର ‘ନୀଳାଦ୍ରି ବିଜେ’ ନୀତି ସମ୍ପନ୍ନ ହୋଇଯାଇଛି । ଆଷା଼ଢ ଶୁକ୍ଳ ତ୍ରୟୋଦଶ ତିଥିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଓହ୍ଲାଇ ସୁସଜ୍ଜିତ ହୋଇ ପହଣ୍ଡି ବିଜୟରେ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନ ଏବଂ କାଳିଆ ଠାକୁର ଶ୍ରୀଜଗନ୍ନାଥ ପୁଣିଥରେ ଶ୍ରୀମନ୍ଦିରକୁ ଫେରିଛନ୍ତି । ରଥାରୂଢ଼ ଠାକୁରମାନଙ୍କ ଏହି ପ୍ରତ୍ୟାବର୍ତ୍ତନ ଯାତ୍ରା ସମୟରେ ଭକ୍ତମାନଙ୍କ ଭିଡ଼ ଦେଖିବା ଭଳି ଥିଲା । ବାହୁଡ଼ା ରଥଯାତ୍ରାରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ପ୍ରତିଷ୍ଠିତ ହେବା ପରେ ଆଜି ନୀତିକାନ୍ତି ଅନୁଯାୟୀ ପ୍ରଥମେ ସୁଦର୍ଶନ ଓ ପରେ ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ । ନୀଳାଦ୍ରି ବିଜେର ସବୁଠାରୁ ଆକର୍ଷଣୀୟ ଏବଂ ପାରମ୍ପରିକ ନୀତି ହେଉଛି ରସଗୋଲା ଦେଇ ମା’ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ।