ଭୁବନେଶ୍ୱର,୨୬/୦୭: ରଥରୁ ଆରମ୍ଭ କରି ବାହୁଡ଼ା ଓ ସୁନାବେଶ ସରିଲା । ହେଲେ କିନ୍ତୁ ପୁରୀକୁ କମୁନି ଶ୍ରଦ୍ଧାଳୁଙ୍କ ସୁଅ । ଆଜି ଅଧରପଣାରେ ଦିଅଁ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଯାନବାହାନ ପୁରୀ ଅଭିମୁଖେ ଆସୁଥିବାରୁ ଭୀଷଣ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ଯଥାସାଧ୍ୟ ଚେଷ୍ଟା କରିଥିଲେ ବି, ଏତେ ସଂଖ୍ୟକ ଗାଡ଼ିକୁ ସୁରୁଖୁରୁରେ ଆଗେଇ ନେବା କଷ୍ଟକର ହୋଇଛି । କଚ୍ଛପ ଗତିରେ ଆଗଉ ଥିଲା ଅଗଣିତ ଗାଡ଼ିର ଅସରନ୍ତି ଧାଡ଼ି । ନୟାନ୍ତ ଯାତ୍ରୀ, ନାକେଦମ୍ ପୁଲିସ । ଭୁବନେଶ୍ୱରରୁ ପୁରୀ ପହଞ୍ଚିବାକୁ ଲାଗୁଥିଲା ୫ ରୁ ୬ ଘଣ୍ଟା ସମୟ ।
କାର୍, ଭ୍ୟାନ୍, ବାଇକ୍ । ପାଦେ ଗଡ଼ିଲେ, ପାଞ୍ଚ ମିନିଟ୍ ଅଟକିବାକୁ ପଡ଼ୁଥିଲା । ଭିଡ଼ ଭିତରେ ଆମ୍ୱୁଲାନ୍ସ ବି ଫସିଥିବା ଦେଖିବାକୁ ମିଳିଥିଲା । କେବଳ ଭୁବନେଶ୍ୱରରୁ ପୁରୀ ପଟ ରାସ୍ତା ନୁହେଁ, ଆରପଟେ ବି ଥିଲା ସୁନାବେଶ ଦେଖି ପୁରୀରୁ ଫେରୁଥିବା ଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ।