ଭୁବନେଶ୍ୱର,୨୫/୦୯: ଆଜି ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିଛନ୍ତି । ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ାମାଳି, କଦମ୍ୱମାଳି, ବାଘନଖୀମାଳି, ସେବତୀମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି,ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେଉଛନ୍ତି। ସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେଇଥିବା ବେଳେ ଏହା ରାତି ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ବେଶ ଓଲାଗି (ଖୋଲା ହେବ) ହେବ।ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍ ଛକରୁ ବଡ଼ଦାଣ୍ଡରେ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରୁଛନ୍ତି। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରୁଛନ୍ତି।