ଭୁବନେଶ୍ୱର,୨୪/୦୭: ବାହୁଡ଼ିଯିବେ ମହାବାହୁ । ସମସ୍ତ ନୀତିକାନ୍ତି ସରିବା ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି, ତାପରେ ବଳଭଦ୍ରଙ୍କର ପହଣ୍ଡି ସରିଥିଲା। ସୁଦର୍ଶନ ଓ ବଳଭଦ୍ର ରଥାରୂଢ ହୋଇଛନ୍ତି। ଏବେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିବା ପରେ ଶେଷରେ ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ ।
ଶ୍ରୀମନ୍ଦିର ପ୍ରଶାସନର ନୀତିକାନ୍ତି ମୁତାବକ ଠିଆପହୁଡ଼ ହୋଇଥିବାରୁ ୨୪ ତାରିଖରେ ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହେବ। ସକାଳ ୭ରୁ ସେନାପଟା ଲାଗି ହେବ। ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।