ଆଜି ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ, ସନ୍ଧ୍ୟା ୬ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ମନା

ଭୁବନେଶ୍ୱର,୨୩/୦୭: ଗୁଣ୍ଡିଚା ମନ୍ଦିରରେ ଆଜି ନବମୀ ସନ୍ଧ୍ୟା ଦର୍ଶନ । ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ । ଆଜି ସନ୍ଧ୍ୟା ଆଳତି ପୂର୍ବରୁ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ ସମସ୍ତ ପାପ ବିନାଶ ହେବା ସହ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ରଥାରୂଢ଼ ହେବା ପୂର୍ବରୁ ଭକ୍ତମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଆନ୍ତି । ପୁରାଣ ଅନୁଯାୟୀ, ନବମୀରେ ଶ୍ରୀମନ୍ଦିର ବଦଳରେ ଆଡ଼ପ ମଣ୍ଡପରେ ଠାକୁରଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ପୁଣ୍ୟ ମିଳିଥାଏ । ଏହି ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁଙ୍କ ବାହୁଡ଼ା ନୀତି ଆରମ୍ଭ ହୋଇଥାଏ ଏବଂ ପରଦିନ ଠାକୁର ରଥାରୂଢ଼ ହୋଇ ଶ୍ରୀମନ୍ଦିର ଫେରିଥାନ୍ତି। ଆଜି ସନ୍ଧ୍ୟା ଦର୍ଶନ ପାଇଁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଦର୍ଶନ। ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଣୁ ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି, ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ । ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଜିଉମାନଙ୍କର ବାହୁଡ଼ା ଯାତ୍ରା ପୂର୍ବର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ। ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ।

Leave a Reply

Your email address will not be published. Required fields are marked *