ଭୁବନେଶ୍ୱର,୨୩/୦୬: ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଜୁନ ୧୨ରେ ରାଜ୍ୟକୁ ଅଗ୍ରସର ହୋଇଥିଲା ମୌସୁମୀ । କିନ୍ତୁ ଆଜି ସମ୍ପୂର୍ଣ୍ଣ ରାଜ୍ୟକୁ ମୌସୁମୀ ଅଗ୍ରସର ହୋଇଥିବା ସୂଚନା । ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଆଗକୁ ବଢିବା ପାଇଁ ସ୍ଥିତି ଅନୁକୂଳ ହୋଇଛି । ଏହାସହ ରାଜ୍ୟରେ ଟ୍ରପ ଲାଇନ ସକ୍ରିୟ ରହିଛି । ଆହୁରି ୫ ଦିନ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଗତକାଲି ଭୁବନେଶ୍ୱର ଓ କଟକରେ ଝିପି ଝିପି ବର୍ଷା ହେଉଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ଅଧିକାଂଶ ଜିଲ୍ଲାର ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, କନ୍ଧମାଳ, ବରଗଡ଼ ଜଗତସିଂହପୁର, କେନ୍ଦ୍ରାପଡା ଭଦ୍ରକ ଓ ବାଲେଶ୍ୱର ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆସନ୍ତା ୨ ଦିନ ବର୍ଷା ପ୍ରଭାବରେ ୨ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ।