ନୂଆଦିଲ୍ଲୀ,୦୮/୦୬: ଆଜି ସକାଳେ ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ଥିଲା। ଯାହା ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର କିଛି ସ୍ଥାନରେ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପ ଯୋଗୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ସତର୍କତା ସ୍ବରୂପ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ତେଣୁ ଭୂମିକମ୍ପର ତୀବ୍ରତା ଅଧିକ ଥିଲା। ଫିଲିପାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋଲକାନୋଲୋଜି ଆଣ୍ଡ୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଦ୍ୱୀପର ଜେନେରାଲ ସାଣ୍ଟୋସ୍ ସିଟିରୁ ୧୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ୧୦ କିଲୋମିଟର ଗଭୀରରେ ଥିଲା। ସ୍ଥାନୀୟ ସମୟ ସକାଳ ୭:୩୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୫:୦୭ ରୁ ୬:୨୫ ମଧ୍ୟରେ ତିନୋଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା।