ଭାରତର କାମୁଥିବା ଜନ୍ମ ହାର ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକାଶ କଲେ ଏଲନ୍ ମସ୍କ

ଭୁବନେଶ୍ୱର,୦୭/୦୬: ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାରତରେ ପ୍ରଥମ ଥର ପାଇଁ ମୋଟ ପ୍ରଜନନ ହାର ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକ ହେଉଥିବା ଜାତୀୟ ମାନଦଣ୍ଡ ୨.୧ ରୁ ୧.୯ କୁ ହ୍ରାସ ପାଇଛି। ଆଉ ଏହି ଘଟଣାକୁ ନେଇ ବିଶ୍ୱର ପ୍ରମୁଖ ଶିଳ୍ପପତି ଏଲନ୍ ମସ୍କ ଏବଂ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ଭବିଷ୍ୟତରେ ଦେଶର କାର୍ଯ୍ୟକ୍ଷମ ଯୁବ ଶ୍ରମଶକ୍ତି, ଅର୍ଥନୀତି ଏବଂ ସାମାଜିକ ସଂରଚନା ଗମ୍ଭୀର ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏକ ଦଶନ୍ଧି ପୂର୍ବେ ଏହି ଜନ୍ମ ହାର ୨.୩ ରହିଥିବା ବେଳେ ବର୍ତ୍ତମାନ ଏହା ପ୍ରଥମ ଥର ପାଇଁ ରିପ୍ଲେସମେଣ୍ଟ ଲେଭଲ୍ ତଳକୁ ଖସିଆସିଛି, ଯେଉଁଥିରେ ଦେଶର ରାଜଧାନୀ ଦିଲ୍ଲୀ ମାତ୍ର ୧.୨ ପ୍ରଜନନ ହାର ସହ ୟୁରୋପୀୟ ଦେଶ ଫିନଲ୍ୟାଣ୍ଡଠାରୁ ବି ନିମ୍ନରେ ରହିଛି। ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଭାରତର ଉଚ୍ଚଶିକ୍ଷିତ ବର୍ଗଙ୍କ ମଧ୍ୟରେ ଏହି ହାର ବହୁ ବର୍ଷ ପୂର୍ବରୁ ହିଁ ହ୍ରାସ ପାଇସାରିଥିଲା। ପରିସଂଖ୍ୟାନ ଅନୁଯାୟୀ, ଦେଶର କେବଳ ବିହାର ଏବଂ ଉତ୍ତର ପ୍ରଦେଶ ଭଳି କେତେକ ସୀମିତ ଉତ୍ତର ଭାରତୀୟ ରାଜ୍ୟରେ ଏହି ହାର ଏବେ ମଧ୍ୟ ନିର୍ଦ୍ଧାରିତ ମାନଦଣ୍ଡରୁ ଉପରେ ଥିବା ବେଳେ, ତାମିଲନାଡୁ ସମେତ ଦକ୍ଷିଣ ଭାଗର ବିକଶିତ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକରେ ଏହା ଅତି ଦ୍ରୁତ ଗତିରେ ହ୍ରାସ ପାଇଛି। ଯଦି ପ୍ରଜନନ ହାର ଏଭଳି ନିମ୍ନଗାମୀ ହୋଇ ରହେ, ତେବେ ଆଗାମୀ ବର୍ଷଗୁଡ଼ିକରେ ଦେଶର ଜନସଂଖ୍ୟା ବୃଦ୍ଧି ସମ୍ପୂର୍ଣ୍ଣ ସ୍ଥିର ହୋଇ ଓଲଟା ହ୍ରାସ ପାଇବା ଆରମ୍ଭ କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *