୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧/୦୬: ୭ ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ସେ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଗସ୍ତ ପାରିବାରିକ କାରଣ ପାଇଁ ହୋଇଥିବା ସୂଚନା ମିଳିଛି । ନିଜ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଏବଂ ତାଙ୍କ ସହ ସମୟ ବିତାଇବା ପାଇଁ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ପ୍ରାୟ ୭ ଦିନ ଦିଲ୍ଲୀରେ ରହିବେ । ଏହି ସମୟ ମଧ୍ୟରେ ସେ ନିଜ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିପାରନ୍ତି । ତେବେ ଦିଲ୍ଲୀ ଗସ୍ତ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ ଗସ୍ତ ଓ କାର୍ଯ୍ୟକ୍ରମ ଉପରେ ନଜର ରହୁଥିବାବେଳେ, ଏଥରର ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି । ଦୀର୍ଘ ଦିନ ଧରି ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ ରହିଆସିଥିବା ନବୀନ ପଟ୍ଟନାୟକଙ୍କ ଏହି ଦିଲ୍ଲୀ ଗସ୍ତ ଏବେ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *