ନୂଆଦିଲ୍ଲୀ,୨୮/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହଯୋଗୀ ରାଷ୍ଟ୍ର ଓମାନ ବିରୋଧରେ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଯଦି ଓମାନ ଇରାନକୁ ସମର୍ଥନ କରେ, ତେବେ ଆମେରିକା ଏହା ବିରୋଧରେ ଖୁବ୍ କଠୋର ଆଭିମୁଖ୍ୟ ଗ୍ରହଣ କରିବ ଓ ଓମାନ ଉପରେ ଆକ୍ରମଣ କରିବ। ଟ୍ରମ୍ପ ବୁଧବାର ଏକ ଗଣମାଧ୍ୟମ ଆଲୋଚନା ସମୟରେ ଏହି ବିବୃତି ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପ୍ରସଙ୍ଗରେ ଇରାନର ପକ୍ଷ ନେଲେ ଓମାନ ଉପରେ ଆକ୍ରମଣ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି। ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ସ୍ଥିତିକୁ ଆହୁରି ସ୍ପଷ୍ଟ କରି କହିଛନ୍ତି, ଆମେ ଏହାକୁ ନିରୀକ୍ଷଣ କରିବୁ, କିନ୍ତୁ କେହି ଏହାକୁ ନିୟନ୍ତ୍ରଣ କରିବେ ନାହିଁ। ଓମାନ ଇରାନ ସହିତ କିଛି ପରିମାଣରେ ସମନ୍ୱୟ ରଖୁଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତି ଆସିଛି। ଏକ ଗଣମାଧ୍ୟମ ବ୍ରିଫିଂ ସମୟରେ ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ, ସେ ଇରାନ ଓ ଓମାନକୁ ହର୍ମୁଜ ପ୍ରଣାଳୀ ନିୟନ୍ତ୍ରଣ କରିବାକୁ ଅନୁମତି ଦେବା ପାଇଁ ଏକ କ୍ଷଣସ୍ଥାୟୀ ଚୁକ୍ତିକୁ ଗ୍ରହଣ କରିବେ କି, ସେ ଏକ ବିଶେଷ ଆକ୍ରମଣାତ୍ମକ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଓମାନକୁ ଅନ୍ୟ ଯେକୌଣସି ଦେଶ ପରି ଆଚରଣ କରିବାକୁ ପଡିବ, ନଚେତ୍ ଆମକୁ ସେମାନଙ୍କୁ ଉଡ଼ାଇ ଦେବାକୁ ପଡିବ। ଟ୍ରମ୍ପ କହିଲେ,ସେମାନେ ଏହା ବୁଝନ୍ତି, ସେମାନେ ଠିକ୍ ହୋଇଯିବେ। ତଥାପି ଜାହାଜଗୁଡ଼ିକୁ ମୁକ୍ତ ଭାବରେ ଚଳାଚଳ କରିବାକୁ ଅନୁମତି ଦେବା ପାଇଁ ଆମେରିକା କ’ଣ ପଦକ୍ଷେପ ନେବ ତାହା ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି।