ନୂଆଦିଲ୍ଲୀ,୨୪/୦୫: ଇବୋଲା ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଅଧିକାରୀମାନେ ଶନିବାର ବିଳମ୍ବିତ ରାତିରେ ଇବୋଲା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨୦୪ ଛୁଇଁଥିବା ସୂଚନା ପ୍ରଦାନ କରିଛନ୍ତି । ଇଟୁରିରେ ତିନି ଜଣ କଙ୍ଗୋ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଥିବା ରେଡକ୍ରସ୍ କହିଛି । ଇବୋଲା ସହିତ ସମ୍ପର୍କିତ ନ ଥିବା ଏକ ମାନବିକ ମିଶନର ଅଂଶ ଭାବରେ ଏହି ତିନିଜଣ ମୃତଦେହ ସ୍ଥାନାନ୍ତର କରୁଥିଲେ ବୋଲି ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍ ରେଡକ୍ରସ୍ ଆଣ୍ଡ ରେଡ କ୍ରେସେଣ୍ଟ ସୋସାଇଟିଜ୍ କହିଛି । ଇବୋଲା ଭାଇରସର ପ୍ରାଦୁର୍ଭାବ ବିଷୟରେ ସେମାନେ ଅବଗତ ନଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତିରେ କୁହାଯାଇଛି , ଦେଶର ତିନୋଟି ପ୍ରଦେଶରେ ୮୬୭ସନ୍ଦିଗ୍ଧ ମାମଲା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ଅନ୍ତର୍ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଶନିବାର ଦିନ, ଆଫ୍ରିକୀୟ ୟୁନିଅନର ସ୍ୱାସ୍ଥ୍ୟ ସଂସ୍ଥା ଚେତାବନୀ ଦେଇଥିଲା ଯେ ଡିଆରସି ଏବଂ ଉଗାଣ୍ଡା ବ୍ୟତୀତ ଆଫ୍ରିକା ମହାଦେଶର ଅଧିକ ଦେଶ ଇବୋଲା ଭାଇରସ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କାରେ ଅଛନ୍ତି ।