ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଥଲାପତି ବିଜୟ

ନୂଆଦିଲ୍ଲୀ,୧୦/୦୫: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଥଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ବିଜୟଙ୍କ ଶପଥ ଗ୍ରହଣ ସହିତ ତାମିଲନାଡୁବାସୀଙ୍କୁ ପ୍ରଥମ ଥର ପାଇଁ ଜଣେ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ମିଳିଛି। ବିଜୟଙ୍କ ସହିତ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଥିବା ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଯୋଗ ଦେଇଛନ୍ତି। ଟିଭିକେକୁ ଗତକାଲି ଡିଏମ୍‌କେ ସହଯୋଗୀ ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି) ଏବଂ ଆଇୟୁଏମ୍‌ଏଲ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୨୦ରେ ପହଞ୍ଚିଛି। ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜୟ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ମିଶି ଗତକାଲି ଚତୁର୍ଥ ଥର ପାଇଁ ରାଜ୍ୟପାଳଙ୍କୁ ଭେଟି ୧୨୦ ବିଧାୟକଙ୍କ ସମର୍ଥନପତ୍ର ଦେଇଥିଲେ ଏବଂ ରାଜ୍ୟପାଳ ଏହାକୁ ଗ୍ରହଣ କରି ବିଜୟଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ।

Leave a Reply

Your email address will not be published. Required fields are marked *