ନୂଆଦିଲ୍ଲୀ, ୦୮/୦୫: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଗତ ୫ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା ଏବଂ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା, ତାହା ଆଜି ସ୍ପଷ୍ଟ ହୋଇଛି। ପଶ୍ଚିମବଙ୍ଗର ଅନ୍ୟତମ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ବିଜେପି ଭରସା କରିଛି। ଆଜି ଅପରାହ୍ଣରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳର ବୈଠକରେ ବହୁ ବିଚାର ବିମର୍ଶ ପରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଛି।
ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ୍.ରବି ଗତ ୭ ତାରିଖ ଦିନ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି। କୋଲକାତା ଗେଜେଟ୍ରେ ଜାରି ସରକାରୀ ଅଧିସୂଚନା ଅନୁସାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସଫଳତା ହାସଲ ପରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ରେ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ। ଏହି ଆସନରେ ଶୁଭେନ୍ଦୁଙ୍କୁ ୭୩,୯୧୭ ଖଣ୍ଡ ଭୋଟ୍ ମିଳିତିଲା। ମମତା ବାନାର୍ଜୀ ୫୮,୮୧୨ ଖଣ୍ଡ ଭୋଟ୍ ପାଇଥିଲେ।