ବେଙ୍ଗାଲୁରୁରେ ପ୍ରଳୟଙ୍କରୀ ବର୍ଷା ଓ କୁଆପଥର ମାଡ଼ରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦/୦୪: ବେଙ୍ଗାଲୁରୁରେ ପ୍ରବଳ ବର୍ଷା, ପବନ ଏବଂ କୁଆପଥର ମାଡ଼ ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ହୋଇଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ କିଛି ଦିନ ଧରି ଜାରି ରହିଥିବା ଏହି ବର୍ଷା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼ ଫଳରେ ବିଭିନ୍ନ ଦୁର୍ଘଟଣା ଘଟି ଲୋକ ପ୍ରାଣ ହରାଇଛନ୍ତି। ଗଛ ପଡ଼ିବା, ବିଦ୍ୟୁତ ଆଘାତ ଏବଂ କାନ୍ଥ ଭୁଶୁଡ଼ିବା କାରଣରୁ ୧୦ ଜଣ ପ୍ରାଣ ଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳରେ କୁତ୍ରିମ ବନ୍ୟା ସ୍ଥିତି ବି ଦେଖିବାକୁ ମିଳିଥିଲା । ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଇଥିଲା। ବେଙ୍ଗାଲୁରୁର ପ୍ରମୁଖ ରାସ୍ତାଗୁଡ଼ିକରେ ଶତାଧିକ ଗାଡ଼ି ଫସିଥିଲା। ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ଯିବା ଫଳରେ ସହରର ଅନେକ ଅଂଶରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର କେତେକ ସ୍ଥାନରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଯାହା ଗାଡ଼ି ଏବଂ ଘରର କାଚ ଭାଙ୍ଗିବାରେ କାରଣ ସାଜିଛି। ମୁଖ୍ୟମନ୍ତ୍ରୀ ଘଟଣାର ସମୀକ୍ଷା କରିବା ସହ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି।