ନୂଆଦିଲ୍ଲୀ,୨୭/୦୪: ପୁଣିଥରେ ଜାପାନର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଆଜି ସକାଳେ ଉତ୍ତର ଜାପାନର ହୋକ୍କାଇଡୋ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଘର ଥରିବା ଯୋଗୁ ଶୋଇଥିବା ଲୋକେ ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ। ଆଶ୍ୱସ୍ତିର କଥା ହେଉଛି ଯେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନୀର ଖବର ମିଳିନାହିଁ କିମ୍ବା କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍ଜିଏସ୍) ଅନୁଯାୟୀ, ଭୂମିକମ୍ପର ତୀବ୍ରତା ୬.୧ ଥିଲା। ଏହାର କେନ୍ଦ୍ରସ୍ଥଳ ହୋକ୍କାଇଡୋର ସାରାବେତ୍ସୁ ସହରରୁ ପ୍ରାୟ ୧୮ କିଲୋମିଟର ପଶ୍ଚିମରେ ଅବସ୍ଥିତ ଥିଲା ଏବଂ ଏହା ଭୂଗର୍ଭର ୮୧ କିଲୋମିଟର ଗଭୀରତା ସୃଷ୍ଟି ହୋଇଥିବା ଆକଳନ କରାଯାଉଛି। ଅଧିକ ଗଭୀରତା ଯୋଗୁଁ, ଭୂମିକମ୍ପର ପ୍ରଭାବ ସୀମିତ ଥିଲା, ଯାହା ଫଳରେ କ୍ଷତି ହେବାର ଆଶଙ୍କା ହ୍ରାସ ପାଇଥିଲା। ଗତ କିଛି ଦିନ ମଧ୍ୟରେ ଜାପାନରେ ଏତେ ଶକ୍ତିଶାଳୀ ଭୂମିକମ୍ପ ହେବା ଏହା ପ୍ରଥମ ଥର ନୁହେଁ। ଗତ ସପ୍ତାହରେ, ଉତ୍ତର ଜାପାନ ଉପକୂଳରେ ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏପ୍ରିଲ ୨୦ ତାରିଖରେ ୭.୪ ତୀବ୍ରତାର ଭୂମିକମ୍ପ ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା।