ନୂଆଦିଲ୍ଲୀ,୨୪/୦୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସର୍ବକାଳୀନ ରେକର୍ଡ ମତଦାନ ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଶୁକ୍ରବାର କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଏହି ମତଦାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନର ଅନ୍ତ ଏବଂ ବିଜେପିର ଏକ ସୁନିଶ୍ଚିତ ବିଜୟର ସଙ୍କେତ। ଶାହଙ୍କ ଆକଳନ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିବା ୧୫୨ଟି ଆସନ ମଧ୍ୟରୁ ବିଜେପି ଏକାକୀ ୧୧୦ରୁ ଅଧିକ ଆସନରେ ବିଜୟୀ ହେବାକୁ ଯାଉଛି, ଯାହାକି ଦ୍ୱିତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ଦଳକୁ ସରକାର ଗଢ଼ିବା ପାଇଁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇବ। ଏଥିସହ ମେ ୫ ତାରିଖ ପରେ ”ଅଙ୍ଗ, ବଙ୍ଗ ଏବଂ କଳିଙ୍ଗ” ଅର୍ଥାତ୍ ସମଗ୍ର ପୂର୍ବ ଭାରତରେ ପଦ୍ମ ଫୁଟିବ ବୋଲି ସେ ଏକ ବଡ଼ ରାଜନୈତିକ ଭବିଷ୍ୟବାଣୀ କରିଛନ୍ତି ।