ଆମଦାନି କରିପାରିବେ ୧୭ଟି ବ୍ୟାଙ୍କ ସୁନା ଓ ରୁପା, ମିଳିଲା ଅନୁମତି

ନୂଆଦିଲ୍ଲୀ,୧୮/୦୪: ୨୦୨୯ ପର୍ଯ୍ୟନ୍ତ ସୁନା ଓ ରୁପା ଆମଦାନି କରିବା ପାଇଁ ଭାରତ ସରକାର ବ୍ୟାଙ୍କ ଗୁଡ଼ିକୁ ଅନୁମତି ପ୍ରଦାନ କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ ପହିଲାରୁ ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ୧୭ଟି ବ୍ୟାଙ୍କ ସୁନା ଓ ରୁପା ଆମଦାନି କରିପାରିବେ। ୧୭ଟି ବ୍ୟାଙ୍କ ମଧ୍ୟରୁ ୧୫ଟି ବ୍ୟାଙ୍କ ଉଭୟ ସୁନା ଓ ରୁପା ଆମଦାନି ଅନୁମତି ପାଇଥିବାବେଳେ ୨ଟି ବ୍ୟାଙ୍କ କେବଳ ସୁନା ଆମଦାନି ଅନୁମତି ପାଇଛନ୍ତି। ସୁନା ଓ ରୁପା ଆମଦାନି କରିବା ପାଇଁ ବ୍ୟାଙ୍କଗୁଡ଼ିକ ଉପରେ ପୂର୍ବରୁ ସରକାର ରୋକ୍‌ ଲଗାଇଥିଲେ। ଫଳରେ ବିପୁଳ ପରିମାଣର ସୁନା ଓ ରୁପା କଷ୍ଟମ୍‌ ବିଭାଗ ଅଟକାଇ ରଖିଥିଲା । ସୀମା ଶୁଳ୍କ ଅନୁମତି ମିଳିନଥିବାରୁ ୫ ଟନ୍‌ରୁ ଅଧିକ ସୁନା ଅଟକାଇ ରଖାଯାଇଥିବା ଏକ ଘରୋଇ ବ୍ୟାଙ୍କ ସହ ସଂପୃକ୍ତ ମୁମ୍ବାଇର ଜଣେ ବୁଲିଅନ୍‌ ଡିଲର ପ୍ରକାଶ କରିଛନ୍ତି। ସେହିପରି ୮ ଟନ୍‌ରୁ ଅଧିକ ରୁପା ମଧ୍ୟ ସୀମା ଶୁଳ୍କ ଅନୁମତି ଅପେକ୍ଷାରେ ରହିଥିବା ଜଣାପଡ଼ିଛି।