ଭୁବନେଶ୍ୱର,୧୫/୦୪: ଓଡ଼ିଶାରେ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳ ଗଠନ ହୋଇଛି। ନୂଆ ଦଳ ଗଠନ ସହ ବଡ ବୟାନ ଦେଇଛନ୍ତି ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମ। ସେ କହିଛନ୍ତି, ଓଡ଼ିଆଙ୍କ ହକ ପାଇଁ ଲଢିବ ଓଡ଼ିଆ ଜନତା କଂଗ୍ରେସ। ବିଜେପିର ବିକଳ୍ପ ହେବ ଓଡ଼ିଆ ଜନତା କଂଗ୍ରେସ। ଏହାଛଡା ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ମୋକିମ। ଏହା ମଧ୍ୟ କହିଛନ୍ତି, ବିଗତ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ । ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହେଲା କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହେଲା ନାହିଁ। ତାମିଲନାଡୁ ପରେ ଏବେ ଗୁଜୁରାଟ ଢାଞ୍ଚା ଆସିଲା। ସେହିଭଳି ପୁରୁଣା ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି ମୋକିମ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ଏବେ ନୂଆ ଦଳ ହୋଇଛି। ଯୁବବର୍ଗଙ୍କୁ ନେତୃତ୍ବ ଦେବାକୁ ବାଟ ଫିଟିଛି। ସେପଟେ ମହମ୍ମଦ ମୋକିମଙ୍କ ନୂଆ ଦଳ ଗଠନ ସଭାରେ ଉପସ୍ଥିତ ଥିଲେ ଝିଅ ସୋଫିଆ ଫିର୍ଦ୍ଦୋସ। ରାଜ୍ୟସଭାରେ କ୍ରସ ଭୋଟିଂ କରି କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏହି ସଭାରେ ସାମିଲ ହେବା ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଏପରିକି ନିଜେ ମହମ୍ମଦ ମୋକିମ କହିଛନ୍ତି, ଆଗକୁ ଓଡ଼ିଶା ଜନତା କଂଗ୍ରେସର ନେତୃତ୍ବ ନେବେ ସୋଫିଆ। ତେବେ ନୂଆ ଦଳ ଗଠନ ସଭାରେ ସାମିଲ ହେବାକୁ ନେଇ ବଡ ବୟାନ ଦେଇଛନ୍ତି ସୋଫିଆ। କହିଛନ୍ତି, ଅନେକ ସଭାରେ ଭିନ୍ନ ଭିନ୍ନ ଦଳର ନେତା ଏକାଠି ହେଉଛନ୍ତି। ଖୋଦ ପିସିସି ସଭାପତି ମଧ୍ୟ ବିଜେପି ସଭାପତି ଓ ବିଜେଡି ରାଜ୍ୟସଭା ସାଂସଦଙ୍କ ସହ ମଞ୍ଚ ସେୟାର କରୁଛନ୍ତି। ତେଣୁ କୌଣସି ସଭାରେ ସାମିଲ ହେଲେ ଅସୁବିଧା କଣ? ବାପା ନୂଆ ଦଳ ଗଠନ କରୁଛନ୍ତି, ଝିଅ ହିସାବରେ ଆସିବାରେ ଅସୁବିଧା କାହିଁକି ହେବ। ସମୟ ଆସିଲେ ଭବିଷ୍ୟତ ନିଷ୍ପତ୍ତି ନେବି।