ଭୁବନେଶ୍ୱର,୦୮/୦୪: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଖାଲି ଜାଲରେ ପଡ଼ିନାହାନ୍ତି, ବାବୁଙ୍କ ସଉକ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଆଖି ମଧ୍ୟ ଖୋସି ହୋଇଯାଇଛି । ଘଣ୍ଟା ଠାରୁ ଚଷମା, ଆଉ ଆଲମାରି ଭର୍ତ୍ତି ନଗଦ ଟଙ୍କା, ଏମିତି କିଛି ମିଳିଛି ବାବୁଙ୍କ ଘରୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବାବୁଙ୍କ ଖଜାନାରୁ ଯାହା ମିଳିଛି ଶୁଣିଲେ ଆଖି ଝଲସିଯିବ । ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ରହିଛି ୩୦୦୦ ବର୍ଗଫୁଟର ଏକ ବିଶାଳ ତିନି ମହଲା କୋଠା । ସେହିପରି ଢେଙ୍କାନାଳ ଭାପୁରର ବିମ୍ବୋଲରେ ୧.୭୧ ଏକର ଜମି ଉପରେ ରହିଛି ୪୦୦୦ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ସହ ଦୁଇ ମହଲା କୋଠା । ଏଥିସହ ଭୁବନେଶ୍ୱର ଓ ଢେଙ୍କାନାଳରେ ମୋଟ ୫ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ ହୋଇଛି ।