କୁଏତ ଓ ୟୁଏଇର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଲା ଇରାନ

ନୂଆଦିଲ୍ଲୀ,୦୪/୪: ଦିନକୁ ଦିନ ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି । ଇରାନ ପ୍ରତିରକ୍ଷା ବାହିନୀ କୁଏତ ଓ ୟୁଏଇର ଶକ୍ତି କେନ୍ଦ୍ର, ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛି । ତେହେରାନର ଏହି ରଣନୈତିକ ପରିବର୍ତ୍ତନ ଉପସାଗରୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଏହା କେବଳ ସାମରିକ ପ୍ରତିରୋଧ ନୁହେଁ, ପାରସ୍ପରିକ ବିନାଶ ପାଇଁ ବିଧ୍ବଂସକାରୀ ରଣନୀତି ବୋଲି କୁହାଯାଉଛି । ଇରାନ ଏହା ଦର୍ଶାଇବାକୁ ଚାହୁଛି ଯେ, ଯଦି ଆମେରିକା ଇରାନର ଅର୍ଥନୀତିକୁ ପଙ୍ଗୁ କରିଦିଏ, ତେବେ କୌଣସି ପଡ଼ୋଶୀ ତୈଳ ରପ୍ତାନିକାରୀ ଦେଶ ମଧ୍ୟ ସୁରକ୍ଷିତ ରହିବେ ନାହିଁ ।ଏହି ସଂଘର୍ଷ କେବଳ ହର୍ମୁଜ ପ୍ରଣାଳୀ ବା ପରମାଣୁ କାର୍ଯ୍ୟକ୍ରମରେ ସୀମିତ ରହିନାହିଁ, ବିଶ୍ୱ ଶକ୍ତି ବଜାରର ମେରୁଦଣ୍ଡ କୁହାଯାଉଥିବା ଭିତ୍ତିଭୂମିକୁ ଛାରଖାର କରିବା ପାଇଁ ଏକ ସଂଗ୍ରାମରେ ପରିଣତ ହୋଇଛି।