ଇରାନର ସାମୁଦ୍ରିକ ଅବରୋଧ ଯୋଗୁଁ ଫସିଛି ପ୍ରାୟ ୨,୦୦୦ ଜାହାଜ ଏବଂ ୨୦,୦୦୦ ନାବିକ

ନୂଆଦିଲ୍ଲୀ, ୦୩/୦୪: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଗଲାଣି । ଯୁଦ୍ଧ ଥମିବାର ନାଁ ଧରୁନି । ଏବେ ବିଶ୍ଵର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ଜଳପଥ ଏବେ ଏକ ମୃତ୍ୟୁର ରାସ୍ତା ପାଲଟି ଗଲାଣି । ଇରାନର ସାମୁଦ୍ରିକ ଅବରୋଧ ଯୋଗୁଁ ପ୍ରାୟ ୨,୦୦୦ ଜାହାଜ ଏବଂ ୨୦,୦୦୦ ନାବିକ ଅତି ଅସହାୟ ଭାବେ ଫସି ରହିଛନ୍ତି ।ସେହି ବିଶାଳ ଜାହାଜଗୁଡ଼ିକ ଭିତରୁ ଆସୁଥିବା ‘SOS’ ବାର୍ତ୍ତା କେବଳ ସାହାଯ୍ୟ ପାଇଁ ନୁହେଁ, ବରଂ ଏକ ମୁମୂର୍ଷୁର ଶେଷ ଚିତ୍କାର ଭଳି ଶୁଭୁଛି । ଜାହାଜରେ ପିଇବା ପାଣି ମୁନ୍ଦେ ନାହିଁ କି ଖାଇବାକୁ ଦାନାଏ ନାହିଁ । ଜଣେ ନାବିକ କାନ୍ଦି କାନ୍ଦି କୁହନ୍ତି, “ଆମର ଯୁଦ୍ଧ ସହ କିଛି ସମ୍ପର୍କ ନାହିଁ, କିନ୍ତୁ ଆମେ ଏଠି ମୃତ୍ୟୁକୁ ଅପେକ୍ଷା କରିଛୁ ।” କ୍ରମାଗତ ବୋମାମାଡ଼ର ଆଶଙ୍କା ଏବଂ ମୃତ୍ୟୁର ଛାଇ ଭିତରେ ଏହି ନାବିକମାନେ ପ୍ରତି ମୁହୂର୍ତ୍ତରେ ନିଜ ପରିବାରକୁ ମନେ ପକାଉଛନ୍ତି ।