ପ୍ରଚଣ୍ଡ ରୌଦ୍ରତାପ, ଆଗାମୀ ୪୮ ଘଣ୍ଟା ପାଇଁ ଓଡିଶାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ୱର,୨/୦୪: ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି । ଆଗାମୀ ୪୮ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା । ଓଡ଼ିଶାରେ ଏବେ ପାଣିପାଗର ଦୁଇଟି ରୂପ ଦେଖିବାକୁ ମିଳୁଛି । ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, ଅନ୍ୟପଟେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଯୋଗୁଁ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି ।  ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରି ସୀମା ଅତିକ୍ରମ କରିଥିବା ବେଳେ, ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଲୋକେ ପ୍ରବଳ ଝାଳରେ ସନ୍ତୁଳି ହେଉଛନ୍ତି ।