ଭୁବନେଶ୍ୱର, ୨୫/୦୩: ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେବ । ଏହି ଅବସରରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଦିବସକୁ ଶ୍ରୀରାମ ନବମୀ ଭାବରେ ସାରା ଦେଶରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଥାଏ । ଆଧ୍ୟାତ୍ମିକତାର ଏହି ପର୍ବରେ ଓଡ଼ିଶାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଦ୍ୱିଧାରେ ସମ୍ପୂର୍ଣ୍ଣ ଭାବେ ଶାନ୍ତିର ସହ ପାଳନ କରିବେ ତାହା ସୁନିଶ୍ଚିତ କରିବା ପୁଲିସ ପ୍ରଶାସନର ଦାୟିତ୍ୱ ।ତେଣୁ, ଏହି ସମୟରେ ସମସ୍ତେ ଯେପରି ସୁରୁଖୁରୁରେ ପର୍ବ ପାଳନ କରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର ।