ଦୀପାବଳି ପାଇଁ ଦୁଇ ଦିନ ଛୁଟି, ଅକ୍ଟୋବର ୨୦କୁ ଅତିରିକ୍ତ ଛୁଟି ଘୋଷଣା

ଭୁବନେଶ୍ୱର: ଦୀପାବଳିକୁ ନେଇ ତାରିଖ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଦୀପାବଳି ପାଇଁ ସରକାର ଅକ୍ଟୋବର ୨୦ ତାରିଖ ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଫଳରେ ସରକାରୀ କର୍ମଚାରୀ ଦୁଇ ଦିନ ଛୁଟି ପାଇବେ । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁସାରେ, ୨୧ ତାରିଖରେ ଦୀପାବଳି ଛୁଟି ସହ ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ । ୨୦ ତାରିଖ ଅତିରିକ୍ତ ଛୁଟି ନୂଆପଡ଼ା ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜେଷ୍ଟେରିଆଲ୍ କୋର୍ଟ ବନ୍ଦ ରହିବ । ଅନ୍ୟପଟେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିସାରିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି ।