ନୂଆଦିଲ୍ଲୀ,୩/୧୧: ଆନ୍ଧ୍ରରେ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୁରାସୁ’ । ଦକ୍ଷିଣ ଆନ୍ଧ୍ରର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଓଙ୍ଗୋଲ୍ ନିକଟରେ ମଧ୍ୟରାତ୍ରି ପ୍ରାୟ ୩ଟା ସମୟରେ ସ୍ଥଳଭାଗ ଛୁଇଁଛି ବାତ୍ୟା । ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଥିଲା । ଏପରିକି ପବନର ଝଟ୍କା ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ବାତ୍ୟାର ପ୍ରଭାବରେ ଆଜି ସାରା ଆନ୍ଧ୍ରପ୍ରଦେଶରେ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍ଡି । କେବଳ ଆନ୍ଧ୍ର ନୁହେଁ, ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେଉଛି । ବିଶେଷକରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଭାରି ବର୍ଷା । ଫଳରେ ଲୋକଙ୍କ ମନରେ ପୁଣି ଥରେ ବାତ୍ୟା ଓ ବର୍ଷାକୁ ନେଇ ଭୟ ଦେଖାଦେଇଛି ।