ରାଜ୍ୟର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ଜାଣନ୍ତୁ କେଉଁ ଜିଲ୍ଲା ଅଛି ସାମିଲ

ଭୁବନେଶ୍ୱର,୨୮/୦୭: ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ଆସନ୍ତା ଦୁଇଦିନ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ଓ କାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲା ଗୁଡ଼ିକ ହେଉଛି- ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ । ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ତିନି ଜିଲ୍ଲା- ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା ହେବାନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ଏପଟେ ବନ୍ୟା ଘେରରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା। ସାଂଘାତିକ ଭାବେ ପ୍ରଭାବିତ ହୋଇଛି ବାଲେଶ୍ବର, ଭଦ୍ରକ ଓ ଯାଜପୁର। ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା। ବାଲିଆପାଳ, ଭୋଗରାଇ ଏବଂ ବସ୍ତା ବ୍ଲକରେ ବିପଦ ବଢ଼ାଇଛି ବଢ଼ିପାଣି। ଅନେକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ଚାଷ ଜମି ଜଳମଗ୍ନ ହୋଇଯାଇଛି । ତେବେ ବିପଦ ସଂକେତ ଉପରେ ଥିଲେ ବି ଗତକାଲି ରାତିରୁ ସୁବର୍ଣ୍ଣରେଖା ଜଳସ୍ତର କମୁଥିବା ଜଣାପଡ଼ିଛି । ବନ୍ୟା ମୁକାବିଲା ପାଇଁ ୨ଟି ଅତିରିକ୍ତ ଓଡ୍ରାଫ ଟିମ୍, ୧୩ଟି ଫାୟାର ଟିମକୁ ସଜାଗ ରଖାଯାଇଛି।