ଭୁବନେଶ୍ୱର,୧୭/୧୧: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଚଳିତ ସିଜନର ତୃତୀୟ ବାତ୍ୟା ‘ଅକଭାନ୍’ । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏହା ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ବର୍ତ୍ତମାନ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ।ବର୍ତ୍ତମାନ ବାତ୍ୟା ‘ଅକଭାନ୍’ ବିଶାଖାପାଟଣାଠାରୁ ପ୍ରାୟ ୬୭୦ କିଲୋମିଟର ଏବଂ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣରେ ପ୍ରାୟ ୭୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି ।ଲ୍ୟାଣ୍ଡଫଲ୍ ସମୟରେ ବାତ୍ୟାର ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ। ଝଟ୍କା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି । ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବା ସହ ୧୮ରୁ ୨୦ ତାରିଖ ଯାଏଁ ତିନି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗର ନଜର ରହିଛି।