ପିଓକେରେ ହିଂସାକାଣ୍ଡ ଓ ଗଣଅସନ୍ତୋଷ: ୧୦ ରୁ ଅଧିକ ମୃତ, ଅନେକ ଆହତ

ନୂଆଦିଲ୍ଲୀ,୦୯/୦୭: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସରକାରଙ୍କ ଏକ ବଡ଼ ନିଷ୍ପତ୍ତିକୁ ନେଇ ପୁଣି ଥରେ ବ୍ୟାପକ ହିଂସାକାଣ୍ଡ ଓ ଗଣଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ଆର୍ଥିକ ତଥା ରାଜନୈତିକ ସମସ୍ୟାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ନାଗରିକ ସଂଗଠନ ‘ଜଏଣ୍ଟ ଆୱାମୀ ଆକ୍ସନ କମିଟି’ଉପରେ ସରକାର ସନ୍ତ୍ରାସବାଦ ବିରୋଧୀ ଆଇନ ବଳରେ ପ୍ରତିବନ୍ଧକ ଲଗାଇବା ପରେ ଏହି ଉତ୍ତେଜନା ପ୍ରକାଶ ପାଇଛି । ଜୁନ୍ ୯ ତାରିଖରେ ସମଗ୍ର ଅଞ୍ଚଳରେ ଏକ ବଡ଼ ଧରଣର ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ପୂର୍ବରୁ ହିଁ ରାୱାଲାକୋଟଠାରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟାବହ ସଂଘର୍ଷ ଘଟି ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପୂର୍ବରୁ ହୋଇଥିବା ଏକ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଜଣେ କର୍ମୀଙ୍କ ଶବ ବ୍ୟବଚ୍ଛେଦ ଗୃହ ବାହାରେ ଜେଏଏସି ସମର୍ଥକମାନେ ଏକତ୍ରିତ ହୋଇଥିବା ବେଳେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ଏହି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *