ଭୁବନେଶ୍ୱର,୦୫/୧୦: ଆସନ୍ତାକାଲି କୋରାପୁଟ ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀରୁ ବିଶାଖାପାଟଣା ଏବଂ ସେଠାରୁ ସିଧାସଳଖ ସୁନାବେଡ଼ାର ଟିଟିଏସ୍ ହେଲିପ୍ୟାଡରେ ପହଞ୍ଚିବେ ରାଜନାଥ ସିଂ।ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଶକ୍ତି ଇଞ୍ଜିନ ସହ ଜଡ଼ିତ ନୂତନ ଉତ୍ପାଦନ ଓ ଭିତ୍ତିଭୂମି ସୁବିଧାର ଉଦ୍ଘାଟନ ସହ ନୂଆ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାସହ HAL ସୁନାବେଡ଼ା ଡିଭିଜନର ବିଭିନ୍ନ କାର୍ଯ୍ୟକ୍ଷମ ୟୁନିଟ୍, ଇଞ୍ଜିନ ଉତ୍ପାଦନ ଲାଇନ ଓ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କରିବେ ରାଜନାଥ ସିଂ । ସୁଖୋଇ-୩୦ MKI ଇଞ୍ଜିନ ସହ ଜଡ଼ିତ କାର୍ଯ୍ୟ, ବିଶେଷକରି ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।