ଆଜି ମହାପ୍ରଭୁଙ୍କ ଉଭା ଯାତ୍ରା, ରଥ ଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଟଣାଯିବ ତିନି ରଥ

ଭୁବନେଶ୍ୱର,୧୫/୦୭: ଆଜି ମହାପ୍ରଭୁଙ୍କ ଉଭା ଯାତ୍ରା। ଗତକାଲି ନବଯୌବନ ଦର୍ଶନରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଘଟିଥିଲା। ଆଜି ପ୍ରତିପଦା ତିଥି ପଡୁଥିବା ବେଳେ ଶ୍ରୀଜିଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ସକାଳୁ ଦୈନନ୍ଦିନ ନୀତି କରାଯିବା ସହ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ପରେ ରଥ ଆଜ୍ଞାମାଳ ବିଜେ କରାଯିବ। ଘଣ୍ଟ ଛତା କାହାଳି ସହ ପଟୁଆରରେ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କର ଆଜ୍ଞାମାଳ ନେଇ ବିଜେ କରାଇବେ। ଏହା ପରେ ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ରଥ ଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଟଣାଯିବ। ପରେ ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ବଳଭଦ୍ର ଙ୍କର ତାଳଧ୍ବଜ ରଥକୁ ଟଣା ଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାକୁ ନଜରରେ ରଖି ଶ୍ରୀଜୀଉ ମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। ଆଜି ବିଳମ୍ବିତ ପ୍ରହରରେ ଶ୍ରୀମୁଖ ଖଣ୍ଡୁଆ, ଡାହୁକ କଣ୍ଟ, ସେନାପଟା ଲାଗି ନୀତି କରାଯିବ।

Leave a Reply

Your email address will not be published. Required fields are marked *