ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୫/୦୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବାରୁ ଆଗାମୀ କିଛି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ପରିସ୍ଥିତିକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ବିଶେଷକରି ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଭାରି ବର୍ଷା ସହ ବଜ୍ରପାତ ଓ ଝଟକା ପବନର ଆଶଙ୍କା ରହିଥିବାରୁ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷାର ସବୁଠାରୁ ଅଧିକ ପ୍ରଭାବ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି ।ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ମଧ୍ୟ ବ୍ୟାହତ ହୋଇଛି । ନିମ୍ନାଞ୍ଚଳର ଲୋକଙ୍କୁ ସତର୍କ ରହିବା, ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା ଏବଂ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି । ଅନ୍ୟପଟେ, ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ସଜାଗ ରହିଛନ୍ତି ।

Leave a Reply

Your email address will not be published. Required fields are marked *