ନୂଆଦିଲ୍ଲୀ,୨୦/୦୭: ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ଡିଜିପି ଅଫିସ ଭିତରୁ ଉଦ୍ଧାର ହୋଇଥିବା ବେଳେ, ଘଟଣାକୁ ନେଇ ସମଗ୍ର ତ୍ରିପୁରାରେ ଚର୍ଚ୍ଚା ଜୋର ଧରିଛି । ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ମୃତଦେହ ତାଙ୍କ କାର୍ଯ୍ୟାଳୟ ଭିତରୁ ଉଦ୍ଧାର କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ । ଘଟଣା ଜଣାପଡ଼ିବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ତୁରନ୍ତ ଡିଜିପି ଅଫିସରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ବରିଷ୍ଠ ପୁଲିସ ଅଧିକାରୀ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ପଛରେ କୌଣସି ଅନ୍ୟ କାରଣ ରହିଛି କି, ନା ଏହା ଆତ୍ମହତ୍ୟା ସେନେଇ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ ଚାଲିଛି । ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ଫରେନସିକ୍ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।