ନୂଆଦିଲ୍ଲୀ,୧୯/୦୮: ତାମିଲନାଡୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୟ କରିଛନ୍ତି ଏକାଧିକ ବଡ଼ ଘୋଷଣା । ସମସ୍ତ ବିଧାୟକଙ୍କୁ ନୂଆ କାର୍ ଦେବା ସହ ଡ୍ରାଇଭର ଓ କାର୍ ସମ୍ପର୍କିତ ଖର୍ଚ୍ଚ ପାଇଁ ପ୍ରତିମାସ ୭୫ ହଜାର ଟଙ୍କା ଦିଆଯିବ । ଏହା ସହ ପ୍ରତ୍ୟେକ MLAଙ୍କ କାର୍ଯ୍ୟାଳୟରେ ଜଣେ ସହାୟକ ନିଯୁକ୍ତି ପାଇଁ ମାସିକ ୨୫ ହଜାର ଟଙ୍କା ମଧ୍ୟ ସରକାର ଦେବେ । ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ନିୟମିତ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ କରିବା ଆବଶ୍ୟକ । ହେଲେ ଯାତାୟାତ ଓ କାର୍ଯ୍ୟାଳୟ ସମ୍ପର୍କିତ ଲଜିଷ୍ଟିକ୍ ସୁବିଧା ଅଭାବରୁ ସେମାନେ ସମସ୍ୟାରେ ପଡ଼ୁଥିବା ଦାବି ହୋଇଥିଲା । VCK ବିଧାୟକ ଜୋଥିମଣି ବିଧାନସଭାରେ ବିଧାୟକଙ୍କ ପାଇଁ ଗାଡ଼ି ସୁବିଧା ଦେବାକୁ ଦାବି କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି ।
ସେପଟେ ସ୍ୱାସ୍ଥ୍ୟ ଓ ମେଡିକାଲ ଶିକ୍ଷା କ୍ଷେତ୍ର ପାଇଁ ମଧ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ସରକାରୀ ମେଡିକାଲ କଲେଜରେ ଛାତ୍ରଙ୍କ ଆଡମିଶନ କ୍ଷମତା ବଢ଼ାଇବା ପାଇଁ ୩୫୧ କୋଟି ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ମୋଟ ୬,୦୯୮ଟି ଅତିରିକ୍ତ ସିଟ୍ ସୃଷ୍ଟି ହେବ । ଏଥିରେ ୬୬୦ଟି BSc ନର୍ସିଂ ସିଟ୍, ନର୍ସିଂ କଲେଜ୍ ଓ ସ୍କୁଲ୍ରେ ୧,୯୨୫ଟି ଅତିରିକ୍ତ ସିଟ୍ ଏବଂ ୧୨ଟି ପାରାମେଡିକାଲ୍ କୋର୍ସରେ ୨,୭୭୮ଟି ସିଟ୍ ସାମିଲ ରହିଛି ।