ଭୁବନେଶ୍ୱର,୧୯/୦୮: ବିଭିନ୍ନ ରାଜସ୍ୱ ସେବା ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଅଫିସ୍ । ଘରେ ବସି ହାତ ପାହାନ୍ତାରେ ପାଆନ୍ତୁ ରାଜସ୍ୱ ବିଭାଗର ବିଭିନ୍ନ ସେବା । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଚାଟ୍ବଟ୍ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ସାମିଲ କରାଯିବ । ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି । ଚାଟ୍ବଟ୍ ମାଧ୍ୟମରେ ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍, ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ଭଳି ବିଭିନ୍ନ ସେବା ପାଇପାରିବେ ନାଗରିକ । ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ । ବିଶେଷ କଥା ହେଉଛି, ଆବେଦନ କରିବା ପରେ ନିଜ ଆବେଦନର ସ୍ଥିତି ମଧ୍ୟ ଚାଟ୍ବଟ୍ ଜରିଆରେ ଜାଣିପାରିବେ । ଅର୍ଥାତ୍ ଅଫିସ୍କୁ ବାରମ୍ବାର ଯାଇ ଫାଇଲ୍ର ସ୍ଥିତି ପଚାରିବାର ଆବଶ୍ୟକତା ରହିବନି ।