ଭୁବନେଶ୍ୱର, ୦୨/୦୮: ଓଡ଼ିଶାରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ବନ୍ୟା ଜଳ ଛାଡ଼ିବା ପରେ ଏବେ କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ଏବଂ କୃଷି ବିଭାଗର ଅଧିକାରୀମାନେ ଫିଲ୍ଡକୁ ଓହ୍ଲାଇ କ୍ଷୟକ୍ଷତିର ସର୍ଭେ କରୁଛନ୍ତି । ବିଶେଷ କରି ଚାଷ, ଘର ଏବଂ ସରକାରୀ ସମ୍ପତ୍ତିର କେତେ କ୍ଷତି ହୋଇଛି, ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ପ୍ରତିକ ବନ୍ୟାରେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲା ଏବଂ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ସ୍ଥିତିର ସମୀକ୍ଷା ପାଇଁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ‘ଗ୍ରାଉଣ୍ଡ ଜିରୋ’କୁ ଯାଇ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।