ଭୁବନେଶ୍ୱର,୨/୦୮: ରାଜ୍ୟରୁ ନିଶା କାରବାରକୁ ସମୂଳେ ବିନାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ନିଶାମୁକ୍ତ ଯୁବା-ବିକଶିତ ଭାରତ ଅଭିଯାନ’ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ‘ଜନ ଆନ୍ଦୋଳନ’ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବେଆଇନ ନିଶା କାରବାର ବିରୋଧରେ ରାଜ୍ୟ ସରକାର ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଛନ୍ତି । ନିଜ ଅଞ୍ଚଳରେ ଚାଲିଥିବା କୌଣସି ବି ପ୍ରକାରର ନିଶା କାରବାର ବିଷୟରେ ପୋଲିସକୁ ଗୁପ୍ତ ସୂଚନା ଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ବିଶେଷ କରି ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ଏବଂ ସେମାନଙ୍କ ତଥ୍ୟ ଆଧାରରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅଭିଯାନ ଆଗାମୀ ୧୦୦ ସପ୍ତାହ ବା ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। କେବଳ ଭାଷଣ ନୁହେଁ, ବରଂ ଯୁବପିଢ଼ିଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ଯୋଗ, ଫିଟନେସ୍ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ ।