୨୭ ବର୍ଷ ପରେ ୟୁରୋପରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ, ମହାଜାଗତିକ ଦୃଶ୍ୟର ଉପଭୋଗ କଲେ ଲୋକେ

ନୂଆଦିଲ୍ଲୀ,୧୩/୦୮: ୟୁରୋପ ଆକାଶରେ ଦେଖିବାକୁ ମିଳିଛି ଏକ ବିରଳ ମହାଜାଗତିକ ଦୃଶ୍ୟ । ଦୀର୍ଘ ୨୭ ବର୍ଷ ପରେ ୟୁରୋପରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ଶେଷଥର ପାଇଁ ୧୯୯୯ ମସିହାରେ ଏଠାରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଯେବେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳ ରେଖାରେ ଆସିଥାନ୍ତି ସେବେ ପୂର୍ଣ୍ଣ ସୂର୍ଯ୍ୟପରାଗ ଘଟିଥାଏ । ଏହି ସମୟରେ କିଛି ସମୟ ପାଇଁ ସୂର୍ଯ୍ୟଙ୍କ ଆଲୋକ ଲୁଚିଯାଇ ଦିନରେ ରାତି ଭଳି ପରିବେଶ ସୃଷ୍ଟି ହୁଏ । ୟୁରୋପ ମହାଦେଶର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ଅଦ୍ଭୁତ ଦୃଶ୍ୟକୁ ଉପଭୋଗ କରିଛନ୍ତି । ଗ୍ରିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ ଓ ପର୍ତ୍ତୁଗାଲରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିବା ବେଳେ ଫ୍ରାନ୍ସ, ଇଟାଲି ସମେତ କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯାଇଛି । ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ଆକାଶ ଧୀରେ ଧୀରେ ଅନ୍ଧାର ହୋଇଯିବା ସହ ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଅନୁଭବ ହୋଇଥାଏ । ଏହି ବିରଳ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବା ପାଇଁ ଅନେକ ଲୋକ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ । ତେବେ ସୂର୍ଯ୍ୟପରାଗ ଦେଖିବା ସମୟରେ ସୁରକ୍ଷାକୁ ଗୁରୁତ୍ୱ ଦେବା ଜରୁରୀ। ସାଧାରଣ ଚଷମାରେ ସୂର୍ଯ୍ୟଙ୍କୁ ସିଧାସଳଖ ଦେଖିବା ଆଖି ପାଇଁ କ୍ଷତିକାରକ ହୋଇପାରେ । ତେଣୁ ବୈଜ୍ଞାନିକ ଭାବେ ଅନୁମୋଦିତ ସୋଲାର ଫିଲ୍ଟର କିମ୍ବା ଏକ୍ଲିପ୍ସ ଗ୍ଲାସ୍‌ ବ୍ୟବହାର କରିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *