ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା, ବିଜେ କରୁଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ ମଣି

ଭୁବନେଶ୍ୱର,୨୯/୦୬: ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏନେଇ ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ମହାପ୍ରଭୁ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀ ଅଭିମୁଖେ ବାହାରିଛନ୍ତି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିରାଜମାନ କରାଯାଇଛି। ଏହା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ପାଇଁ ପ୍ରକ୍ରିୟା ଜାରି ରହିଛି। କାଳିଆ ସାଆନ୍ତ ମଧ୍ୟ ମନ୍ଦିର ଭିତରୁ ବାହାରି ସ୍ନାନ ମଣ୍ଡପ ଅଭିମୁଖେ ବାହାରିଛନ୍ତି । ସ୍ନାନବେଦୀ ପ୍ରସ୍ତୁତ ହୋଇସାରିଛି। ଅନ୍ତିମ ରୂପ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ସୂଚନା ଅନୁଯାୟୀ ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ।

Leave a Reply

Your email address will not be published. Required fields are marked *