ନୂଆଦିଲ୍ଲୀ,୨୪/୦୮: ଭାରତରେ ସିମ୍ କାର୍ଡ କିଣିବା ଏବଂ ବ୍ୟବହାରକୁ ନେଇ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ଏକ ବଡ଼ ନିୟମାବଳୀ କଡ଼ାକଡ଼ି କରିବାକୁ ଯାଉଛନ୍ତି । ଅଗଷ୍ଟ ୨୪ ତାରିଖଠାରୁ ସିମ୍ କାର୍ଡ ସୀମା ନିୟମକୁ ଅଧିକ ସକ୍ରିୟ ଭାବେ ଲାଗୁ କରାଯିବ। ୨୪ ତାରିଖରୁ ଯଦି କୌଣସି ଗ୍ରାହକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମାରୁ ଅଧିକ ସିମ୍ କାର୍ଡ କିଣିବାକୁ ଚେଷ୍ଟା କରିବେ ତେବେ ଟେଲିକମ୍ କମ୍ପାନିଗୁଡ଼ିକ ତାଙ୍କୁ ନୂଆ ସିମ୍ କନେକ୍ସନ୍ ଦେବାକୁ ସିଧାସଳଖ ମନା କରିଦେବେ। ନୂତନ ନିୟମାବଳୀ ଅନୁଯାୟୀ, ଦେଶର ଜଣେ ସାଧାରଣ ନାଗରିକ ନିଜ ନାଁରେ ସର୍ବାଧିକ ୯ଟି ସିମ୍ କାର୍ଡ ରଖିପାରିବେ ଏବଂ ବ୍ୟବହାର କରିପାରିବେ। ତେବେ ଜମ୍ମୁ-କାଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକ ପାଇଁ ଏହି ସୀମା କେବଳ ୬ଟି ସିମ୍ କାର୍ଡ ମଧ୍ୟରେ ସୀମିତ ରଖାଯାଇଛି। ନୂଆ ନିୟମ ଅନୁସାରେ, ଯେକୌଣସି ଗ୍ରାହକଙ୍କୁ ନୂଆ ସିମ୍ ପ୍ରଦାନ କରିବା ପୂର୍ବରୁ ଟେଲିକମ୍ କମ୍ପାନିଗୁଡ଼ିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୂର୍ବରୁ କେତୋଟି ଆକ୍ଟିଭ୍ ସିମ୍ ରହିଛି ତାହା ଯାଞ୍ଚ୍ କରିବା ବାଧ୍ୟତାମୂଳକ ରହିବ । ଯଦି ଆପଣ ନିଜ ନାଁରେ କେତୋଟି ସିମ୍ କାର୍ଡ ଚାଲୁ ରହିଛି ଜାଣିବାକୁ ଚାହୁଛନ୍ତି ତେବେ ସରକାରୀ ପୋର୍ଟାଲ୍ ‘ସଞ୍ଚାର ସାଥୀ’ର ସାହାଯ୍ୟ ନେଇପାରିବେ। ଏହି ପୋର୍ଟାଲକୁ ଯାଇ ‘Know Mobile Connection In Your Name’ ବିକଳ୍ପରେ କ୍ଲିକ୍ କରି ନିଜର ମୋବାଇଲ୍ ନମ୍ବର ଏବଂ ଓଟିପି ଦେଇ ଲଗଇନ୍ କଲେ ଆପଣଙ୍କ ନାଁରେ ଥିବା ସମସ୍ତ ପଞ୍ଜୀକୃତ ନମ୍ବରଗୁଡ଼ିକର ତାଲିକା ସାମ୍ନାକୁ ଆସିଯିବ।