ଭୁବନେଶ୍ୱର, ୨୫/୦୮: ଅନଲାଇନ ଅଟୋ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ନୂଆ ମୋଡ଼। ଆନ୍ଦୋଳନରେ ସାମିଲ ଥିବା ଏବଂ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପରିବହନ ବିଭାଗ। ଦୀର୍ଘ ଦିନ ଧରି ଫିଟନେସ୍ ନଥିବା ଏବଂ ବହୁଦିନ ଧରି ଚାଲାଣ ପେଣ୍ଡିଂ ଥିବା ଗାଡ଼ିର ଆର୍ସି (RC) ବାତିଲ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ଯେଉଁ ଅଟୋଗୁଡ଼ିକର ବୈଧ ପରମିଟ୍ ଥିବା ସତ୍ତ୍ୱେ ଆନ୍ଦୋଳନରେ ସାମିଲ ହୋଇଥିଲେ, ସେମାନଙ୍କ ପରମିଟ୍ ବାତିଲ କରାଯାଇପାରେ। ମାଷ୍ଟରକାଷ୍ଟିନ୍ ଅନଲାଇନ୍ ଡ୍ରାଇଭର ସଂଘର ହିଂସାତ୍ମକ ଆନ୍ଦୋଳନକୁ ନେଇ ବିଭାଗ ପକ୍ଷରୁ ଏଭଳି କଠୋର ପଦକ୍ଷେପ ନିଆଯାଉଛି । ଆନ୍ଦୋଳନ ସମୟରେ ପ୍ରାୟ ୩୮୦ଟି ଗାଡ଼ିକୁ ନୋଟିସ୍ କରାଯାଇଥିଲା । ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ସୋ’ କଜ୍ ନୋଟିସ୍ ଜାରି କରି ଏହାର ଉତ୍ତର ୩ ଦିନ ମଧ୍ୟରେ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୫ରୁ ୩୦ ଜଣଙ୍କ ଉତ୍ତର ପରିବହନ ବିଭାଗର ହସ୍ତଗତ ହୋଇଥିବା ବେଳେ ଆର୍ଟିଓ ପକ୍ଷରୁ ଏହାର ତର୍ଜମା କରାଯାଉଛି । ତର୍ଜମା ପରେ ନିୟମ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।