ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ, ଏଣିକି କଲେଜ ପିଲା ପଢ଼ିବେ ସେୟାର ମାର୍କେଟ ପାଠ

ଭୁବନେଶ୍ୱର,୨୯/୦୭: ଏଣିକି କଲେଜ ପିଲା ପଢ଼ିବେ ସେୟାର ମାର୍କେଟ ପାଠ । ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ଦକ୍ଷ କରିବା ପାଇଁ ଓଡ଼ିଶା ସରକାରଙ୍କ ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ସହ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏନ୍‌ଏସ୍‌ଇ ବିଏଫ୍‌ଏସ୍‌ଆଇ ସ୍କିଲିଂ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ଚିହ୍ନଟ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖି କାର୍ଯ୍ୟକ୍ରମ ରୂପାୟନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ଏହି କାର୍ଯ୍ୟକ୍ରମ ମେସର୍ସ ଟ୍ୟାଲେଣ୍ଟ ସ୍କିଲଭର୍ସିଟି ମାଧ୍ୟମରେ ପରିଚାଳିତ ହେବ । ଏହା ଅଧୀନରେ ଛାତ୍ରଛାତ୍ରୀଙ୍କୁ ୩୦ ଘଣ୍ଟିଆ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ ପ୍ରୋଗ୍ରାମ ସହ ଏନ୍‌ଆଇଏସ୍‌ଏମ୍‌ ଭିଏ ସାର୍ଟିଫିକେସନ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯିବ । ଏହା ମାଧ୍ୟମରେ ପୁଞ୍ଜି ବଜାର, ମ୍ୟୁଚୁଆଲ ଫଣ୍ଡ ଓ ଆର୍ଥିକ ସେବା କ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ବ୍ୟବହାରିକ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇବ। ବି.କମ୍‌, ବିବିଏ, ବିଏମ୍‌ଏସ୍‌, ବିଏ, ଏମ୍‌ବିଏ ଓ ଏମ୍‌.କମ୍‌ ପରି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହି ସ୍କିଲିଂ କାର୍ଯ୍ୟକ୍ରମର ସୁବିଧା ପାଇବେ ।

Leave a Reply

Your email address will not be published. Required fields are marked *