ନୂଆଦିଲ୍ଲୀ,୧୭/୧୦: ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ରାଜସ୍ଥାନର ଖାଟୁଶ୍ୟାମଜୀ ଯାଉଥିବା ଏକ ଟ୍ରାଭେଲର୍ ଗାଡ଼ି ନିୟନ୍ତ୍ରଣ ହରାଇ ପୋଲ ଉପରୁ ପ୍ରାୟ ୨୦ ଫୁଟ୍ ତଳେ ଥିବା ବର୍ଷାଜଳ ନାଳରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟା ସମୟରେ ସିମଲିଆ ଥାନା ଅଞ୍ଚଳରେ କରାଡ଼ିଆ ଟୋଲ୍ ପ୍ଲାଜା ପାର୍ ହେବା ପରେ ସୁଲତାନପୁର ଆଡ଼କୁ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ି ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରାଯାଉଛି। ଦ୍ରୁତ ଗତି ଯୋଗୁଁ ଚାଳକ ଗାଡ଼ିକୁ ସମ୍ଭାଳି ପାରିନଥିଲେ। ଫଳରେ ଗାଡ଼ିଟି ଡିଭାଇଡର୍ ଭାଙ୍ଗି ପୋଲ ତଳକୁ ଖସିପଡ଼ିଥିଲା। ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି।