ଭୁବନେଶ୍ୱର,୧୭/୧୦: ଓଡ଼ିଶା ସମେତ ସାରାଦେଶରେ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା। ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ। ୭ମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ କାଳରାତ୍ରୀ ରୂପରେ। ମା’ କାଳରାତ୍ରୀ ହେଉଛନ୍ତି ଶକ୍ତି, ସାହସ ଓ ଅଭୟର ପ୍ରତୀକ। ତାଙ୍କର ଭୟଙ୍କର ରୂପ ଦୁଷ୍ଟ ଶକ୍ତିର ବିନାଶ କରୁଥିବା ବେଳେ ଭକ୍ତଙ୍କ ପାଇଁ ସେ ଅତ୍ୟନ୍ତ ମଙ୍ଗଳକାରିଣୀ। ଏଥିପାଇଁ ମା’ଙ୍କୁ ‘ଶୁଭଙ୍କରୀ’ ନାମରେ ମଧ୍ୟ ଅଭିହିତ କରାଯାଏ। ନବଦୁର୍ଗାଙ୍କ ସପ୍ତମ ରୂପ ହେଲେ ମା’ କାଳରାତ୍ରୀ। ସେ ଅତ୍ୟନ୍ତ ଉଗ୍ର ରୂପା, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ଶୁଭ ଓ ମଙ୍ଗଳଦାୟିନୀ। ତାଙ୍କର ବର୍ଣ୍ଣ କୃଷ୍ଣ, ବିଶାଳ ଦେହ, ବିକଳ କେଶ, ତିନିଟି ନୟନ ଓ ଅଗ୍ନିସ୍ପୁଲିଙ୍ଗ ପ୍ରସ୍ତୁତ କରୁଥିବା ଶ୍ୱାସ – ଏହିଭଳି ଭୟଙ୍କର ରୂପରେ ସେ ଦେଖାଯାନ୍ତି। ମା’ ଚତୁର୍ଭୁଜା। ତାଙ୍କର ଦୁଇ ହାତରେ ଖଡ୍ଗ ଓ ଲୌହ କଣ୍ଟକ ରହିଥିବା ବେଳେ ଅନ୍ୟ ଦୁଇ ହାତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ। ଗର୍ଦ୍ଦଭ ବା ଗଧ ହେଉଛି ମା’ଙ୍କ ବାହନ। ମା’ କାଳରାତ୍ରୀଙ୍କୁ ଶୁଭଙ୍କରୀ ବୋଲି ମଧ୍ୟ କୁହାଯାଏ, କାରଣ ସେଇ ଭୟଙ୍କର ରୂପରେ ମଧ୍ୟ ଭକ୍ତମାନଙ୍କୁ ଶୁଭ, ସାହସ ଓ ରକ୍ଷା ପ୍ରଦାନ କରନ୍ତି।